ଜ୍ୟୋତିର୍ମୟୀ କ୍ଲବ ପକ୍ଷରୁ ଭଜନ, କୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ବଅଁରପାଳ ସଂଜପଡ଼ା୨୩/୧୦ : ଜଗତ୍ଜନନୀ ମା’ ଦୁର୍ଗାଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ସଂଜପଡ଼ା ଗ୍ରାମ। ଗ୍ରାମର ଜ୍ୟୋତିର୍ମୟୀ କ୍ଲବ ଆନୁକୂଲ୍ୟରେ ଶାରଦୀୟ ଦୁର୍ଗାପୂଜା ମହାସମାରୋହରେ ପାଳିତ ହେଉଛି। ଦୀର୍ଘବର୍ଷ ଧରି ଏହି କ୍ଲବ ପକ୍ଷରୁ ପାରମ୍ପରିକ ରୀତିନୀତି ଓ ଧାର୍ମିକ ନିଷ୍ଠାର ସହ ମା’ଙ୍କ ପୂଜା ଆୟୋଜିତ ହୋଇଆସୁଛି।ଆଶ୍ୱିନ ମାସ ଆସିଲେ ଗ୍ରାମରେ ପୂଜାର ମାହୋଲ ସୃଷ୍ଟି ହେବା ସହ ଜ୍ୟୋତିର୍ମୟୀ କ୍ଲବର ସଦସ୍ୟମାନେ ପୂଜା ପ୍ରସ୍ତୁତିରେ ଲାଗିପଡ଼ନ୍ତି। ଆକର୍ଷଣୀୟ ଆଲୋକମାଳାରେ ସୁସଜ୍ଜିତ ମା’ଙ୍କ ପୂଜାମଣ୍ଡପ ଶ୍ରଦ୍ଧାଳୁଙ୍କ ମନ ମୋହୁଥିବା ବେଳେ ପ୍ରତିଦିନ ଭଜନ, କୀର୍ତ୍ତନ, ଘଣ୍ଟ, ଶଙ୍ଖ, ବାଦ୍ୟ ଓ ହରିବୋଲ ହୁଳହୁଳିରେ ଭକ୍ତିମୟ ହୋଇଉଠୁଛି ପରିବେଶ।ଚଳିତ ବର୍ଷ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ କଟକର ଭଜନ ସନ୍ଧ୍ୟା ଗ୍ରୁପ୍ ‘ତୁଳସୀ କ୍ଷେତ୍ର’ ପକ୍ଷରୁ ଭଜନ ପରିବେଷଣର ବ୍ୟବସ୍ଥା କରାଯାଇଛି। ଏଥିସହ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପୂଜାର ଆକର୍ଷଣ ବୃଦ୍ଧି କରୁଛି। କ୍ଲବ ପକ୍ଷରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା ରହିଛି।ମା’ ଦୁର୍ଗାଙ୍କ ଆଶୀର୍ବାଦ ଓ ଗ୍ରାମବାସୀଙ୍କ ସହଯୋଗରେ ଜ୍ୟୋତିର୍ମୟୀ କ୍ଲବ ଦୀର୍ଘବର୍ଷ ଧରି ଏହି ପରମ୍ପରାକୁ ବଜାୟ ରଖିଆସିଛି। ଧାର୍ମିକ ଭାବନା, ସାମାଜିକ ଏକତା ଓ ଭାଇଚାରାର ବାର୍ତ୍ତା ବହନ କରୁଥିବା ଏହି ଦୁର୍ଗାପୂଜା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଭରିଦେଇଛି।

