ଢେଙ୍କାନାଳ, ୨୨/୧୦: କପିଳାସ ମହିମା ତପୋବନ ପୀଠରେ ହେବାକୁ ଥିବା ବାର୍ଷିକ ମେଳାର ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଆସନ୍ତା ନଭେମ୍ବର ୨୦ ତାରିଖ ଶୁକ୍ରବାର ଦିନ ଏହି ମେଳା ଅନୁଷ୍ଠିତ ହେବ।ମେଳାକୁ ଆସିବାକୁ ଥିବା ଭକ୍ତମାନଙ୍କ ସୁବିଧା ପାଇଁ ରାସ୍ତା ମରାମତି, ପାନୀୟ ଜଳ ଯୋଗାଣ, ଆଶୁ ଚିକିତ୍ସା, ପରିମଳ ବ୍ୟବସ୍ଥା, ଆଲୋକୀକରଣ, ଅସ୍ଥାୟୀ ଆଶ୍ରୟସ୍ଥଳ ଓ ଯାତାୟାତ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ସମସ୍ତ ବିଭାଗର ଅଧିକାରୀମାନେ ନିଜ ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହି ମେଳାକୁ ପ୍ରାୟ ୧୦ ହଜାର ଭକ୍ତ ଆସିବାର ଆଶା ରହିଛି। ଏଥିପାଇଁ ଯାନବାହାନ ଚଳାଚଳ ନିୟନ୍ତ୍ରଣ, ପାର୍କିଂ ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ଆଜିଙ୍କ୍ୟ ବାବୁରାଓ କହିଥିଲେ ।ବୈଠକରେ ସଦର ଉପଜିଲ୍ଲାପାଳ ପଦ୍ମଚରଣ ସାହୁ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ମେଳାର କାର୍ଯ୍ୟକ୍ରମ ବିଷୟରେ ଜଣାଇଥିଲେ। ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ମହିମା ସମାଜର ସଭାପତି ବାବା ରଘୁନାଥ ଦାସ, ତପୋବନ ମହିମା ପୀଠର ସଂଯୋଜକ ପ୍ରଶାନ୍ତ କୁମାର ମହାପାତ୍ର, ମହିମା ଜ୍ୟୋତି ଯାତ୍ରାର ସଂଯୋଜକ ପ୍ରଦ୍ୟୁମ୍ନ ରଥଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଟ୍ରଷ୍ଟର ସଦସ୍ୟମାନେ ଉପସ୍ଥିତ ଥିଲେ।
ତପୋବନ ମେଳା ପାଇଁ ପ୍ରସ୍ତୁତି ବୈଠକ

