ସ୍ୱାମୀଙ୍କୁ ହତ୍ୟା ପାଇଁ ଚିକେନ୍ ତରକାରୀରେ ବିଷ! ସ୍ତ୍ରୀ ଓ କଥିତ ପ୍ରେମିକ ଗିରଫ

ବିଷ ଦେଇ ଅଚେତ କରିବା ପରେ କୁରାଢ଼ିରେ ଆକ୍ରମଣ, ଅପେରା ଦେଖି ଅପରାଧ ଲୁଚାଇବାକୁ ଉଦ୍ୟମ

ଅନୁଗୋଳ, ୨୪ ଅକ୍ଟୋବର: ଦଶହରା ରାତିରେ ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ କଣଲୋଇ ଗାଁରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ସ୍ୱାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ସ୍ତ୍ରୀ ସୌଦାମିନୀ ସେଠୀ ଓ ତାଙ୍କ କଥିତ ପ୍ରେମିକ ଖଗେଶ୍ୱର ସାହୁଙ୍କୁ ଗିରଫ କରିଛି ବାଗଡ଼ିଆ ପୁଲିସ। ଚିକେନ୍ ତରକାରୀରେ ମୂଷା ମାରିବା ବିଷ ମିଶାଇବା ପରେ କୁରାଢ଼ିରେ ଆକ୍ରମଣ କରି ସ୍ୱାମୀ ଦିଲ୍ଲୀପ ସେଠୀଙ୍କୁ ହତ୍ୟା କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିବା ସୂଚନା ମିଳିଛି।

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଷଡ଼ଯନ୍ତ୍ର!

ପୁଲିସର ସୂଚନା ଅନୁଯାୟୀ, ଖଗେଶ୍ୱର ସାହୁଙ୍କ ସହ ସୌଦାମିନୀଙ୍କର ପ୍ରେମ ସମ୍ପର୍କ ଥିଲା। ଏହାକୁ ଦିଲ୍ଲୀପ ବିରୋଧ କରୁଥିବାରୁ ଉଭୟ ମିଶି ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବା ଅଭିଯୋଗ ହୋଇଛି।

ଚିକେନ୍ ତରକାରୀରେ ବିଷ, ପରେ କୁରାଢ଼ିରେ ଆକ୍ରମଣ

ଗାଁରେ ଦଶହରା ଅବସରରେ ଅପେରା ଚାଲିଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ଅଭିଯୋଗ ଅନୁସାରେ, ଦିଲ୍ଲୀପଙ୍କ ପାଇଁ ପ୍ରସ୍ତୁତ ଚିକେନ୍ ତରକାରୀରେ ବିଷ ମିଶାଯାଇଥିଲା। ସେ ଅଚେତ ହୋଇପଡ଼ିବା ପରେ ତାଙ୍କ ଗଳା ଚିପିବା ସହ କୁରାଢ଼ିରେ ମୁଣ୍ଡକୁ ଆଘାତ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି।

ଅପେରା ଦେଖି ଅପରାଧ ଲୁଚାଇବାକୁ ଉଦ୍ୟମ

ହତ୍ୟା ପରେ ସନ୍ଦେହ ଏଡ଼ାଇବା ପାଇଁ ଉଭୟ ଅପେରା ଦେଖିବାକୁ ଯାଇଥିବା ଅଭିଯୋଗ ହୋଇଛି। ରାତି ପ୍ରାୟ ୨ଟା ୪୦ ମିନିଟ୍‌ରେ ଘରକୁ ଫେରିବା ପରେ ଅଜଣା ଦୁର୍ବୃତ୍ତ ଦିଲ୍ଲୀପଙ୍କୁ ହତ୍ୟା କରିଥିବା ଭଳି ପରିସ୍ଥିତି ସୃଷ୍ଟି କରିବାକୁ ସେମାନେ ଉଦ୍ୟମ କରିଥିବା ପୁଲିସ କହିଛି।

ବୈଜ୍ଞାନିକ ତଦନ୍ତରୁ ଖୋଲିଲା ଗୁମର

ଦିଲ୍ଲୀପଙ୍କ ମା’ ସୌରୀ ସେଠୀଙ୍କ ଅଭିଯୋଗ ପରେ ବାଗଡ଼ିଆ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅନୁଗୋଳ ସାଇଣ୍ଟିଫିକ୍ ଟିମ୍‌ର ସହାୟତାରେ ଘଟଣାସ୍ଥଳରୁ କୁରାଢ଼ି, ରକ୍ତଭିଜା ପୋଷାକ ଓ ଗଳା ଚିପିବାରେ ବ୍ୟବହୃତ କପଡ଼ା ଜବତ କରାଯାଇଥିଲା। ପଚରାଉଚରା ପରେ ଦୁଇ ଅଭିଯୁକ୍ତଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିବା ପୁଲିସ ପକ୍ଷରୁ କୁହାଯାଇଛି।

ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!