ସରପଞ୍ଚଙ୍କ ଉଦ୍ୟମକୁ ଅଞ୍ଚଳବାସୀଙ୍କ ପ୍ରଶଂସା
ବରଗଡ଼, ୨୨/୧୦: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୁଚଟିକ୍ରାରୁ ପତ୍ରାପାଲିକୁ ସଂଯୋଗ କରୁଥିବା ପ୍ରାୟ ୩ କିଲୋମିଟର ଦୀର୍ଘ ମାଟି ରାସ୍ତା ଦୀର୍ଘଦିନ ଧରି ଶୋଚନୀୟ ଅବସ୍ଥାରେ ପଡ଼ିରହିଥିଲା। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଅଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ରାସ୍ତାର ଦୁରବସ୍ଥା ଯୋଗୁଁ ଦୁର୍ଘଟଣା ଘଟିବା ସହ କେତେକ ଲୋକଙ୍କ ଜୀବନ ମଧ୍ୟ ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।ଏହି ରାସ୍ତାର ମରାମତି ପାଇଁ ଅଞ୍ଚଳବାସୀ ସ୍ଥାନୀୟ ସରପଞ୍ଚ, ବିଧାୟକ, ମନ୍ତ୍ରୀ ଓ ବ୍ଲକ ପ୍ରଶାସନକୁ ବାରମ୍ବାର ଅବଗତ କରାଇଥିଲେ। ଏପରିକି ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇଥିଲେ ମଧ୍ୟ ଦୀର୍ଘଦିନ ଧରି ରାସ୍ତାର ସ୍ଥାୟୀ ସମାଧାନ ହୋଇପାରି ନଥିଲା।ତେବେ ବର୍ତ୍ତମାନର ସରକାର ଆସିବା ପରେ ବୁଗବୁଗା ସରପଞ୍ଚ ଶେଷଦେବ ଛନ୍ଦଙ୍କ ଉଦ୍ୟମ ଓ ଆନ୍ତରିକତା ଯୋଗୁଁ ଶେଷରେ ଏହି ରାସ୍ତାରେ ମୋରମ ପକାଇ ମରାମତି କରାଯାଇଛି। ଦୀର୍ଘଦିନର ଦାବି ପରେ ରାସ୍ତା ମରାମତି ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ଏଥିପାଇଁ ସେମାନେ ସରପଞ୍ଚଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
ତେବେ ଏହି ରାସ୍ତାର ସ୍ଥାୟୀ ନିର୍ମାଣ କରାଗଲେ ଅଞ୍ଚଳବାସୀଙ୍କ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

