ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ହୋଇଥିଲେ ମଧ୍ୟ, ଯୁଦ୍ଧ ଶେଷ ହୋଇନଥିବା ଓ ଆଗକୁ ହାଅଧିକ ତୀବ୍ର ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଆମେରିକାର ସାମରିକ ବାହିନୀ ଓ ଯୁଦ୍ଧଜାହାଜ ଏବେବି ଇରାନ ନିକଟରେ ମୁତୟନ ହୋଇଛି। ତେହେରାନ ମଧ୍ୟ ଚୁପ୍‌ ବସିନାହିଁ। ଆମେରିକା ଗୁଇନ୍ଦା ସୂଚନା ଅନୁଯାୟୀ ଇରାନ ଆସନ୍ତା କିଛି ସପ୍ତାହ ମଧ୍ୟରେ ଚୀନଠାରୁ ନୂଆ ବାୟୁ ପ୍ରତିରକ୍ଷା ସିଷ୍ଟମ ପାଇବାକୁ ଯାଉଛି ବୋଲି ସିଏନ୍‌ଏନ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି।ମାସେ ଧରି ଚାଲିଥିବା ଯୁଦ୍ଧ ସମୟରେ ଚୀନ୍ ପ୍ରାୟତଃ ନିରବ ରହିଥିଲା। ଯୁଦ୍ଧବିରତି ଚୁକ୍ତି ପାଇଁ ସହଯୋଗୀ ଇରାନକୁ ସାମିଲ କରିବା ପାଇଁ ଶେଷ ମୁହୂର୍ତ୍ତରେ ହସ୍ତକ୍ଷେପ କରିଥିଲା। ତେବେ ଚୀନର ଯେକୌଣସି ପଦକ୍ଷେପକୁ ଆମେରିକା ଉତ୍ତେଜନା ମୂଳକ ଭାବରେ ଦେଖିବାର ସମ୍ଭାବନା ରହିଛି। ଆସନ୍ତା ମାସରେ ସି ଜିନପିଙ୍ଗଙ୍କ ସହ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବହୁ ପ୍ରତୀକ୍ଷିତ ଚୀନ୍ ଗସ୍ତ ଉପରେ ମଧ୍ୟ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ତେବେ ଚୀନ୍‌ ଆମେରିକାର ଗୁଇନ୍ଦା ତଥ୍ୟକୁ ଖଣ୍ଡନ କରିଛି। ଚୀନ କୌଣସି ଯୁଦ୍ଧରତ ପକ୍ଷକୁ ଅସ୍ତ୍ରଶସ୍ତ୍ର ଯୋଗାଇ ନଥାଏ ବୋଲି ବେଜିଂ କହିଛି।ଆମେରିକା ଏପରି ଭିତ୍ତିହୀନ ଅଭିଯୋଗ କରିବା, ମନ୍ଦ ଉଦ୍ଦେଶ୍ୟ ରଖି ସମ୍ପର୍କ ସ୍ଥାପନ କରିବା ଏବଂ ଚାଞ୍ଚଲ୍ୟକର କାର୍ଯ୍ୟରୁ ନିବୃତ୍ତ ରହିବାକୁ ଅନୁରୋଧ କରୁଛୁ ବୋଲି ଚୀନ୍‌ କହିଛି। ୱାସିଂଟନସ୍ଥିତ ଚୀନ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଆମେ ଆଶା କରୁଛୁ ଯେ ସମ୍ପୃକ୍ତ ପକ୍ଷମାନେ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ କରିବା ପାଇଁ ଅଧିକ ପଦକ୍ଷେପ ନେବେ। ଇରାନ ଉପରେ କଠୋର ପ୍ରତିବନ୍ଧକ ଲାଗିଥିବାବେଳେ ଚୀନ୍‌ ଓ ରୁଷ୍‌ ନିଜର ଗୁରୁତ୍ବପୂର୍ଣ୍ଣ କୂଟନୈତିକ ଓ ସାମରିକ ସହଯୋଗୀକୁ ସହାୟତା ‌ଯୋଗାଇ ଆସୁଛନ୍ତି।ପାଶ୍ଚାତ୍ୟ କଟକଣାକୁ ପ୍ରଭାବହୀନ କରିବାକୁ ଉଭୟ ଇରାନକୁ ଦୃଢ଼ ସହାୟତା କରିଥାନ୍ତି। ଗଲ୍ଫ ଦେଶରେ ଆମେରିକାର ସମ୍ପତ୍ତି ଉପରେ ଆକ୍ରମଣ କରିବାକୁ ରୁଷ୍‌ ଇରାନକୁ ଗୁଇନ୍ଦା ତଥ୍ୟ ପ୍ରଦାନ କରିଆସୁଛି। ତେବେ ଚୀନ୍‌ ନିଜକୁ ମଧ୍ୟ ପ୍ରାଚ୍ୟ ଯୁଦ୍ଧରେ ସାମିଲ କରିବାକୁ ଚାହୁନାହିଁ। କେବଳ ଏଥିରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନ ଚୀନ୍‌କୁ ସହାୟତା ମାଗିବା ପରେ ବେଜିଂ ଚର୍ଚ୍ଚାକୁ ଆସିଥିଲା। ଚୀନ୍‌ ଇରାନକୁ ଯୁଦ୍ଧବିରତି ପାଇଁ ରାଜି କରାଇଥିଲା। ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଚୀନ୍‌ର ଭୂମିକାକୁ ସ୍ବୀକାର କରିଥିଲେ।ଆମେରିକା ଗୁଇନ୍ଦା ତଥ୍ୟ ଅନୁଯାୟୀ, ଚୀନ ଇରାନକୁ କାନ୍ଧରେ ରଖି ଗୁଳିଚାଳନା କରାଯାଉଥିବା ବାୟୁ ପ୍ରତିରୋଧ କ୍ଷେପଣାସ୍ତ୍ର ସିଷ୍ଟମ (ମ୍ୟାନପ୍ୟାଡ) ପ୍ରଦାନ କରିପାରେ। ଆମେରିକା ଓ ଇଶ୍ରାଏଲ ଆକ୍ରମଣରେ ଇରାନ ଅନେକ ବାୟୁ ପ୍ରତିରୋଧ ସିଷ୍ଟମ ନଷ୍ଟ ହୋଇଯାଇଥିବାବେଳେ ଇରାନ ଏହାକୁ ନିମ୍ନ ଆକାଶରେ ଉଡ଼ୁଥିବା ଆମେରିକା ବିମାନ ନଷ୍ଟ କରିବାରେ ବ୍ୟବହାର କରିପାରିବ। ଏହି ପୋର୍ଟେବଲ ବାୟୁ ପ୍ରତିରୋଧ ବ୍ୟବସ୍ଥା ଦ୍ବାରା ଚଳିତ ମାସ ପ୍ରାରମ୍ଭରେ ଇରାନ ଆମେରିକାର ଏଫ୍‌-୧୫ଇ ଲଢ଼ୁଆ ବିମାନ ଓ ବ୍ଲାକ ହକ୍‌ ହେଲିକପ୍ଟରକୁ ନଷ୍ଟ କରିପାରିଥିଲା। ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର ଆମେରିକା ଯୁଦ୍ଧ ବିମାନକୁ ଶତ୍ରୁପକ୍ଷ ଖସାଇବାରେ ସଫଳ ହୋଇଥିଲା। ଇରାନ ଏ ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିନଥିଲେ ମଧ୍ୟ ଆଇଆରଜିସି ଏହାକୁ ଏକ ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା ବୋଲି କହିଥିଲା।ଚୀନ ଇରାନରୁ ୮୦% ତୈଳ ଆମଦାନୀ କରୁଥିବାବେଳେ ଇରାନର ସୁରକ୍ଷା ପାଇଁ ସିଧାସଳଖ ଯୁଦ୍ଧକୁ ଓହ୍ଲାଇବାକୁ ଚାହୁନାହିଁ। ଅନ୍ୟପକ୍ଷରେ ଚୀନ ଇରାନକୁ ଅସନ୍ତୁଷ୍ଟ କରିବାକୁ ଚାହୁନାହିଁ, ତେଣୁ ପ୍ରତିରକ୍ଷା ପ୍ରଣାଳୀ ପ୍ରଦାନ କରି ତେହେରାନକୁ ନିଜ ହାତରେ ରଖିବାକୁ ଚାହୁଁଛି। ଇରାନ ରୁଷ୍‌ଠାରୁ ସ୍ବଳ୍ପ ଦୂରଗାମୀ ଭର୍ବା ପୋର୍ଟେବଲ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପିତ ହୋଇପାରୁଥିବା କ୍ଷେପଣାସ୍ତ୍ର ପାଇବାକୁ ଯାଉଛି। ଏଥିପାଇଁ ଚଳିତ ବର୍ଷ ପ୍ରାରମ୍ଭରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା। ଅନ୍ୟପକ୍ଷରେ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାକୁ ଚୀନ ଇରାନକୁ ବୈଷୟିକ ସହାୟତା ବିକ୍ରି କରିଆସୁଛି।