ଇଣ୍ଟରନେଟ୍, ପର୍ଯ୍ୟଟନ ଓ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ, ଖାଲି ପଦବୀ ପୂରଣ ଦାବି
ନୂଆପଡ଼ା, ୨୩/୧୦ : ନୂଆପଡ଼ା ଜିଲ୍ଲାର ସାମଗ୍ରିକ ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳ ଅନ୍ୟା ଦାସଙ୍କୁ ଭେଟି ଆଲୋଚନା କରିଛନ୍ତି ଜିଲ୍ଲାର ପାଞ୍ଚଟି ବ୍ଲକର ଅଧ୍ୟକ୍ଷା। ଏହି ଅବସରରେ ଇଣ୍ଟରନେଟ୍ ସେବାର ଉନ୍ନତି, ପର୍ଯ୍ୟଟନସ୍ଥଳୀର ବିକାଶ ଓ ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା ।ବିଶେଷକରି ଖଡ଼ିଆଳ ବ୍ଲକର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା କର୍ମଚାରୀ ପଦବୀ ଯୋଗୁଁ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ନେଇ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖାଲି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବାକୁ ସେ ଦାବି କରିଥିଲେ।ଏହି ଆଲୋଚନାରେ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୟା କୁମ୍ଭାର, ବୋଡ଼େନ ବ୍ଲକ ଅଧ୍ୟକ୍ଷା ପ୍ରେମଶିଳା ନାଗ, ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ ଓ ଖଡ଼ିଆଳ ବିଧାୟକଙ୍କ ପ୍ରତିନିଧି ଅକ୍ଷୟ ନନ୍ଦ ଉପସ୍ଥିତ ଥିଲେ।

