ଅନୁଗୋଳ ୧୦.୦୪.୨୬ (ବିରୋ ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଞ୍ଚଳ ରୁ ଜଣେ ୫ ବର୍ଷର ବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହିର ବାବୁଲା ଜେନା (୪୦)କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ! ସୂଚନା ମୁତାବକ, ଗତବର୍ଷ ମାର୍ଚ୍ଚ ୧୩ .୨୦୨୫ ରେ ଅନୁଗୋଳ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଜଣେ ୫ ବର୍ଷର ନାବାଳିକା ନିଖୋଜ ହୋଇଥିବା ସୂଚନା ପାଇ ଥିଲେ ପୋଲିସ । ଘଟଣାର ଦୁଇଦିନ ପରେ ଯଥା ମାର୍ଚ୍ଚ ୧୫ ,୨୦୨୫ ମସିହାରେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଘର ପାଖରେ ଥିବା ଏକ ମହୁଲ ବଣରୁ ମିଳିଥିଲା | ପାରିପାର୍ଶ୍ଵକ ସ୍ଥିତିରୁ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ଦୃଢୀଭୂତ ହୋଇଥିଲା। ନାବାଳିକାଙ୍କ ଘର ପାଖରେ ରହୁଥିବା ଜେରେଙ୍ଗ ଦେହୁରୀ ସାହିର ବାବୁଲା ଜେନାକୁ ସନ୍ଦେହ କରିଥିଲା ପୁଲିସ ଯାଞ୍ଚ ସମୟରେ ତା’ ଘରୁ ରକ୍ତଭିଜା କପଡ଼ା ମିଳିବା ପରେ ପୁଲିସ ତାକୁ ଉଠାଇ ଆଣି ଜେରା କରିଥିଲା । ବାବୁଲା ନିଜ ଦୋଷକୁ ସୁନା ପିଲା ପରି ସ୍ଵୀକାର କରିବା ସହ ଦୁଷ୍କର୍ମ ପରେ ନାବାଳିକାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ମାନିଥିଲା । ଅନୁଗୁଳ ଏସ୍ପି ରାହୁଲ ଜୈନଙ୍କ ତତ୍ତ୍ବାବଧାନରେ ଡିଏସ୍ପି ଯୋଗେଶ୍ଵରୀ ବେହେରା ଓ ପୁଲିସର ସ୍ବତନ୍ତ୍ର ଟିମ୍ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ବିରୋଧରେ କୋର୍ଟରେ ଦସ୍ତାବିତ ପ୍ରମାଣ ଦାଖଲ କରିଥିଲେ । ଅଭିଯୁକ୍ତ ଘରୁ ମିଳିଥିବା ରକ୍ତ ନମୁନାର ଡିଏନ୍ ରିପୋର୍ଟ, ଫରେନ୍ସିକ୍ ତଥ୍ୟ, ପ୍ରାୟ୩୨ ଜଣ ସାକ୍ଷୀଙ୍କ ବୟାନ ତଥା ଅନ୍ୟନ ପ୍ରମାଣକୁ ଭିତ୍ତି କରି ଅନୁଗୋଳ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୌମ୍ୟା ଶୁଭଦର୍ଶିନୀ ଏଭଳି କଠୋର ଦଣ୍ଡ ଶୁଣାଇଛନ୍ତି । ଦଫା ୧୩୭ (୨), ୧୦୩ (୧), ୬୫ (୨) ଏବଂ ୨୩୮ (କ) ସହିତ ପୋକ୍ସୋ ଆକ୍ଟର ଧାରା ୬ ଅନୁଯାୟୀ ବାବୁଲା ଜେନାକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଦିଲୀପ ଦାସ ପରିଚାଳନା କରୁଥିଲେ। ରାୟକୁ ପୀଡ଼ିତାଙ୍କ ପରିବାର ସ୍ବାଗତ କରିଛନ୍ତି। ଅପରପକ୍ଷରେ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିବ ବୋଲି କହିଛି ବାବୁଲା ଜେନା । ଅଦାଲତଙ୍କ ରାୟକୁ ଅନୁଗୋଳ ଏସ୍ପି ରାହୁଲ ଜୈନ ସ୍ବାଗତ କରିବା ସହ ଯେଉଁ ଅପରାଧୀ ଏଭଳି ଜଘନ୍ୟ କାଣ୍ଡ ଘଟାଇବାର ମାନସିକତା ରଖୁଛନ୍ତି ସେମାନଙ୍କୁ ଆଇନି କେବେ ବି ଛାଡ଼ିବ ନାହିଁ ବୋଲି କହିଛନ୍ତି | ଘଟଣାର ପ୍ରାୟ ବର୍ଷକ ଭିତରେ ଦୋଷୀକୁ ଦଣ୍ଡ ମିଳିଥିବାରୁ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଅଭିନନ୍ଦନ ଜଣାଇଛନ୍ତି ।
(ବିରୋ ରିପୋର୍ଟ ପବ୍ଲିକ୍ ଏକ୍ସପ୍ରେସ )

