ଆଲମିରା ଭାଙ୍ଗି ସୁନା, ରୁପା ଅଳଙ୍କାର ସହ ୩୫ ହଜାର ଟଙ୍କା ଲୁଟ୍‌ ଅଭିଯୋଗ; ସିସିଟିଭିରେ କଏଦ ହେଲା ସନ୍ଦିଗ୍ଧଙ୍କ ଛବି

ନାଲ୍‌କୋନଗର, ୨୨/୧୦ : ନାଲ୍‌କୋ ଥାନା ଅଞ୍ଚଳରେ ବାରମ୍ବାର ଚୋରି ଘଟଣା ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ଘରେ କେହି ନଥିବା ସୁଯୋଗରେ ଆଲମିରା ଭାଙ୍ଗି ସୁନା, ରୁପା ଅଳଙ୍କାର ଓ ନଗଦ ୩୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ନାଲ୍‌କୋ ପୋଲିସର କାର୍ଯ୍ୟପନ୍ଥା ଓ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲାର ସଂଜୀବ କୁମାର ସିଂହ (୪୦), ପିତା ଶରତ କୁମାର ସିଂହ, ଦୀର୍ଘ ୨୦ ବର୍ଷ ଧରି ନାଲ୍‌କୋ ଥାନା ଅନ୍ତର୍ଗତ କୁଲାଡ଼ ରାସ୍ତା ସାହିରେ ଭଡ଼ାରେ ରହୁଛନ୍ତି। ଗତ ୧୯ ତାରିଖ ଅପରାହ୍ନ ପ୍ରାୟ ୩ଟାରେ ସେ ନିଜ ଗାଁକୁ ଯାଇଥିଲେ। ପରେ ସମ୍ପର୍କୀୟଙ୍କ ଫୋନ୍‌ରୁ ଘରେ ଚୋରି ହୋଇଥିବା ଜାଣି ସେ ଫେରି ନାଲ୍‌କୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ଅନୁସାରେ, ଚୋର ଆଲମିରା ଭାଙ୍ଗି ୪ ହଳ ସୁନା କାନଫୁଲ, ଗୋଟିଏ ହାତମୁଦି, ଗୋଟିଏ ରାଣୀହାର, ଗୋଟିଏ ମଙ୍ଗଳସୂତ୍ର, ଗୋଟିଏ ଛୋଟ ସୁନା ଚେନ୍‌, ୨ ହଳ ରୁପା ପାଉଁଜି, ଗୋଟିଏ ରୁପା ଲକେଟ୍‌ ଓ ନଗଦ ୩୫ ହଜାର ଟଙ୍କା ନେଇଯାଇଛି। ଚୋରି ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଅଭିଯୋଗକାରୀ କହିଛନ୍ତି। ସେ ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି।ଅଭିଯୋଗ ପରେ ମଧ୍ୟ ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା ସଂଜୀବ ଅଭିଯୋଗ କରିଛନ୍ତି। ସିସିଟିଭିରେ ଚୋରର ଫଟୋ କଏଦ ହୋଇଥିବା ସତ୍ତ୍ୱେ ତଦନ୍ତର ଅଗ୍ରଗତି କ’ଣ, ତାହାକୁ ନେଇ ପ୍ରଶ୍ନ ଉଠିଛି।ନାଲ୍‌କୋ ଭଳି ଶିଳ୍ପାଞ୍ଚଳରେ ବାରମ୍ବାର ଚୋରି ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି। ଚୋରି ଘଟଣାର ତ୍ୱରିତ ତଦନ୍ତ, ଅଭିଯୁକ୍ତଙ୍କ ଚିହ୍ନଟ ଓ ଚୋରି ସାମଗ୍ରୀ ଉଦ୍ଧାର ସହ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ବଢ଼ାଇବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!