ନାଲକୋ ନଗର୨୭/୧୦: ଧୂପ, ଦୀପ ଓ ମନ୍ତ୍ରଧ୍ୱନିରେ ମୁଖରିତ ହୋଇଉଠିଛି ନାଲକୋ ନଗର ଅଞ୍ଚଳର କୁଲାଡ଼ ଗ୍ରାମ। ମା’ ଗଜଲକ୍ଷ୍ମୀଙ୍କ ଆଗମନରେ ଗାଁରେ ଭରିଉଠିଛି ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲ। ମା’ଙ୍କ ଆଶୀର୍ବାଦ ଲାଭ ସହ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ଶ୍ରଦ୍ଧାଳୁମାନେ ପୂଜାରେ ସାମିଲ ହେଉଛନ୍ତି।ଚଳିତ ବର୍ଷ କୁଲାଡ଼ ଗ୍ରାମରେ ୧୦ଟି ମଣ୍ଡପରେ ମା’ ଲକ୍ଷ୍ମୀଙ୍କ ପୂଜା ଆୟୋଜିତ ହୋଇଛି। ସାହାରା କ୍ଲବ, କୁଲାଡ଼ ଛକ, ବଡ଼ବନ୍ଧ, ଆଲୁମିନିୟମ ହାଇସ୍କୁଲ, ବାବା କ୍ଲବ, ପ୍ରିନ୍ସ କ୍ଲବ, ଫ୍ରେଣ୍ଡ କ୍ଲବ, ବଣିକ ସଂଘ, ବ୍ରାହ୍ମଣୀ ସାହି ଓ ରୟାଲ କ୍ଲବ ପକ୍ଷରୁ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି।ଏହି ଅବସରରେ ସାହାରା କ୍ଲବ ପକ୍ଷରୁ ଶନିବାର ବାଜା, ବାଣ ଓ ରୋଷଣୀର ଭବ୍ୟ ଆୟୋଜନ ସହ ମା’ ଲକ୍ଷ୍ମୀଙ୍କୁ ପୂଜାମଣ୍ଡପକୁ ଆବାହନ କରାଯାଇଥିଲା। ରବିବାର ଅପରାହ୍ନ ୧ଟାରେ କୁଲାଡ଼ ପୋଖରୀରୁ କଳସ ଯାତ୍ରା ଆରମ୍ଭ ହେବା ପରେ ବିଧିବିଧାନ ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା।ପୂଜା କାର୍ଯ୍ୟକ୍ରମରେ କମିଟିର ଉପଦେଷ୍ଟା ପ୍ରକାଶ ବେହେରା, ସଭାପତି ଦୀପକ ଜେନା, ସାଧାରଣ ସମ୍ପାଦକ ପିଙ୍କୁ ସାମନ୍ତ ସିଂ, କୋଷାଧ୍ୟକ୍ଷ ବିକାଶ ଜେନାଙ୍କ ସମେତ ଅଭିଷେକ ଦେଓ, ଟୁଟୁ ବେହେରା, ଜୁଲୁ ସ୍ୱାଇଁ, ବିରେନ ବେହେରା, ସୁମିତ ଧୀର ଓ ଲିଟୁ ସ୍ୱାଇଁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ପୂଜାରେ ରାଜୀବ ବିଶୋଇ ମୁଖ୍ୟ ପୁରୋଧା ଭାବେ ଦାୟିତ୍ୱ ତୁଲାଇଥିଲେ।ସୋମବାରଠାରୁ ପୂଜାମଣ୍ଡପରେ ଶାନ୍ତିଶୃଙ୍ଖଳାର ସହ ପ୍ରତିଦିନ ମା’ଙ୍କ ନିକଟରେ ଅନ୍ନଭୋଗ ଅର୍ପଣ କରାଯିବା ସହ ସନ୍ଧ୍ୟାରେ ଆଳତି ଅନୁଷ୍ଠିତ ହେବ। ଏହା ଭକ୍ତମାନଙ୍କୁ ମା’ଙ୍କ ଆରାଧନାରେ ସାମିଲ ହେବାର ଏକ ସୁନ୍ଦର ସୁଯୋଗ ଦେବ ବୋଲି କମିଟିର ସଭାପତି ଦୀପକ ଜେନା କହିଛନ୍ତି।ମା’ ଗଜଲକ୍ଷ୍ମୀଙ୍କ ଆଗମନକୁ ନେଇ କୁଲାଡ଼ ଗ୍ରାମରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବାବେଳେ ଭକ୍ତି, ଶ୍ରଦ୍ଧା ଓ ସାମୂହିକ ସହଯୋଗରେ ପୂଜାକୁ ସଫଳ କରିବା ପାଇଁ ଆୟୋଜକମାନେ ଉଦ୍ୟମ ଜାରି ରଖିଛନ୍ତି।
୧୦ଟି ମେଢ଼ରେ ମା’ଙ୍କ ଆବାହନ, ଭକ୍ତି ଓ ଆସ୍ଥାରେ ମୁଖରିତ ଗାଁ

