ଚାନ୍ଦବାଲି, ୨୮/୧୦:ଲଘୁଚାପ ବର୍ଷା ଆଣିଦେଇଛି ଦୁର୍ଦ୍ଦଶା। ବର୍ଷା ହେଲେ ଘରୁ ବାହାରିବା ମୁସ୍କିଲ୍, ଘର ଭିତରେ ପଶୁଛି ବର୍ଷା ପାଣି। ରୋଷେଇ କରିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସବୁକିଛି ହୋଇପଡ଼ୁଛି କଷ୍ଟକର। ଏଭଳି ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ (NAC)ର ୫ ନମ୍ବର ୱାର୍ଡରୁ। ଜଳ ନିଷ୍କାସନ ସମସ୍ୟା ଯୋଗୁଁ ୱାର୍ଡବାସୀ ଦୀର୍ଘଦିନ ଧରି ହଇରାଣ ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଲଘୁଚାପ ଜନିତ ବର୍ଷା ହେଲେ ୫ ନମ୍ବର ୱାର୍ଡର ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି। ରାସ୍ତାଘାଟ ଜଳମଗ୍ନ ହେବା ସହ ବର୍ଷା ପାଣି ଘର ଭିତରକୁ ପଶୁଥିବାରୁ ଲୋକଙ୍କ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଘରେ ରୋଷେଇ କରିବା, ଶୋଇବା ଏବଂ ଅନ୍ୟାନ୍ୟ ନିତ୍ୟକର୍ମ କରିବାରେ ନାନା ସମସ୍ୟା ଦେଖାଦେଉଛି। ଏପରିକି ରାତି ହେଲେ ସାପଙ୍କ ଭୟ ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଉଛି।
ଅନ୍ୟପଟେ ରାସ୍ତାରେ ଖାଲଖମା ଏବଂ ଆଲୋକ ବ୍ୟବସ୍ଥାର ଅଭାବ ସମସ୍ୟାକୁ ଦ୍ୱିଗୁଣିତ କରିଛି। ପାଣି ଜମି ରହିବା ଯୋଗୁଁ ରାସ୍ତାର ଖାଲଖମା ଜଣାପଡ଼ୁନଥିବା ବେଳେ ଅନ୍ଧାରରେ ଯାତାୟାତ କରିବା ବିପଦପୂର୍ଣ୍ଣ ହୋଇପଡ଼ୁଛି। ଖାଲରେ ପଡ଼ି ଲୋକେ ଆହତ ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ଏହି ସମସ୍ୟାରୁ ଛାତ୍ରଛାତ୍ରୀମାନେ ମଧ୍ୟ ବାଦ୍ ପଡ଼ିନାହାନ୍ତି। ରାସ୍ତାରେ ପାଣି ଜମି ରହୁଥିବାରୁ ସ୍କୁଲ ଓ ଟ୍ୟୁସନ୍ ଯିବାରେ ଅସୁବିଧା ହେଉଛି। ଫଳରେ ପିଲାମାନଙ୍କ ପାଠପଢ଼ା ଉପରେ ଏହାର ପ୍ରଭାବ ପଡ଼ୁଥିବା ୱାର୍ଡବାସୀ କହିଛନ୍ତି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଡ୍ରେନ୍ ନିର୍ମାଣ ହୋଇଥିବା ସତ୍ତ୍ୱେ ଜଳ ନିଷ୍କାସନ କାହିଁକି ଠିକ୍ ଭାବେ ହୋଇପାରୁନାହିଁ? ଡ୍ରେନ୍ ନିର୍ମାଣର ଉଦ୍ଦେଶ୍ୟ ଯଦି ଜଳ ନିଷ୍କାସନ, ତେବେ ବର୍ଷା ହେଲେ ଲୋକଙ୍କୁ ଜଳବନ୍ଦୀ ଜୀବନ ବିତାଇବାକୁ କାହିଁକି ପଡ଼ୁଛି? ଡ୍ରେନ୍ର ନିର୍ମାଣ କାର୍ଯ୍ୟ ଓ ଜଳ ନିଷ୍କାସନ ବ୍ୟବସ୍ଥାର ଯାଞ୍ଚ ହେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି।ୱାର୍ଡବାସୀଙ୍କ ଅଭିଯୋଗ ଅନୁସାରେ, ଏ ସମ୍ପର୍କରେ ଚାନ୍ଦବାଲି NACର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ସହ ଦରଖାସ୍ତ ମଧ୍ୟ ଦିଆଯାଇଛି। ତଥାପି ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ସେମାନେ କହିଛନ୍ତି।ତେବେ ଏହି ଜଳବନ୍ଦୀ ସମସ୍ୟାର ସମାଧାନ କେବେ ହେବ? ୱାର୍ଡର ଡ୍ରେନ୍ ବ୍ୟବସ୍ଥାର ଯାଞ୍ଚ କରାଯାଇ ଜଳ ନିଷ୍କାସନ ସୁବ୍ୟବସ୍ଥିତ କରାଯିବ କି? ନା ପ୍ରତିବର୍ଷ ବର୍ଷା ଆସିଲେ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ? ଏବେ ଚାନ୍ଦବାଲି NAC କର୍ତ୍ତୃପକ୍ଷଙ୍କ ତତ୍ପରତା ଏବଂ ପଦକ୍ଷେପକୁ ଅପେକ୍ଷା କରିଛନ୍ତି ୫ ନମ୍ବର ୱାର୍ଡବାସୀ।

