ଅନୁଗୋଳ ୧୫.୪.୨୬ (ତାଳଚେର): ତାଳଚେରକୁ ଘାରିଛି ମାଟି ଧସିବା ଭୟ କଳାହୀରାର ସହର ଆଗାମୀ ଦିନରେ ଭୁଶୁଡ଼ିଯିବ ବୋଲି ଆଶଙ୍କା କରାଯାଉଛି। ତାଳଚେର ହାଣ୍ଡିଧୂଆଁ-ବଲଣ୍ଡା ମୁଖ୍ୟ ରାସ୍ତାରେ ମାଟି ଧସିବା ଘଟଣା ଏହି ଭୟକୁ ଦ୍ବିଗୁଣିତ କରିଛି। ଗତକାଲି ବିଳମ୍ବିତ ରାତିରେ ତାଳଚେର ହାଣ୍ଡିଧୂଆଁ-ବଲଣ୍ଡା ମୁଖ୍ୟ ରାସ୍ତାର ଜେବିଆର୍ ହସ୍ପିଟାଲ୍ ନିକଟରେ ୨ଫୁଟ ଚଉଡ଼ା ଓ ୭ଫୁଟ ଗଭୀରର ମାଟି ଧସି ଯାଇଛି। ଏହି ଗର୍ଭକୁ ସ୍ଥାନୀୟ ଲୋକେ ଗତକାଲି ପଥର ସହିତ ଗଛଡାଳ ପକାଇ ଆବଦ୍ଧ କରି ରଖିଥିଲେ। ଆଜି ସକାଳୁ ଏହି ଗର୍ଭ ଆହୁରି ବଡ଼ ହୋଇ ଯାଇଥିଲା। ଫଳରେ ସ୍ଥାନୀୟ ଲୋକ ଏବଂ ଏହି ରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣ ଭୟଭୀତ ହୋଇପଡ଼ିଛନ୍ତି। ଗତ କିଛି ମାସ ପୂର୍ବରୁ ଉକ୍ତ ସ୍ଥାନଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ହାଣ୍ଡିଧୂଆଁ ଗ୍ରାମ ନିକଟରେ ୩୫ ଫୁଟ ଚଉଡ଼ା ଏବଂ ୭୦ ଫୁଟ ଗଭୀରର ଏକ ବିରାଟ ଗର୍ଭ ହୋଇଥିଲା। ସେହି ସମୟରେ ସ୍ଥାନୀୟ ଲୋକେ ଖଣି କର୍ମଚାରୀଙ୍କୁ ବିରୋଧ କରିବା ସହିତ ଏହାର ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ। ତାଳଚେରର ଭୂଗର୍ଭ ଫମ୍ପା ଥିବା ସ୍ଥାନରେ ବାଲି ଭର୍ତ୍ତି କରାଯିବ ବୋଲି ଖଣି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ, ବର୍ତ୍ତମାନ ସୁଦ୍ଧା ଏହି କାର୍ଯ୍ୟ ତ୍ବରାନ୍ବିତ ହୋଇପାରି ନାହିଁ। ଆଜି ପୁନର୍ବାର ମାଟି ଧସିବାରୁ ତାଳଚେରବାସୀଙ୍କ ଚିନ୍ତା ବଢ଼ିଯାଇଛି। ଭୟରେ ଜନସାଧାରଣ କାଳାତିପାତ କରୁଥିବା ସ୍ଥାନୀୟ ବାସିନ୍ଦା ଶିଶିର ସାହୁ କହିଛନ୍ତି। ସେହିଭଳି କୋଇଲା ଖଣି କର୍ତ୍ତୃପକ୍ଷ କୋଇଲା ଖନନ କରିବା ପରେ ଠିକ୍ ଭାବେ ବାଲି ଭର୍ତ୍ତି କରୁ ନ ଥିବାରୁ ତାଳଚେରବାସୀ ବିପଦରେ ରହିଥିବା ବିନୋଦ ଲାଲ କହିଛନ୍ତି | ଖଣି କର୍ତ୍ତୃପକ୍ଷଙ୍କ ଦ୍ବାରା ବାଲି ଭତ୍ତ ନାମରେ ବଡ଼ ଦୁର୍ନୀତି ହେଉଛି। କେବଳ ଠିକାଦାର ପୋଷା ନୀତିରେ ବାଲି ଭର୍ତ୍ତି ଚାଲିଛି। ବାସ୍ତବରେ କେତେ ପରିମାଣର ବାଲି ଭର୍ତ୍ତି ହେଲା ତାହାର ତଦନ୍ତ କେହି କରୁ ନଥିବା ସ୍ଵେଚ୍ଛାସେବୀ ଜଗନ୍ନାଥ ପ୍ରଧାନ କହିଛନ୍ତି। ତାଳଚେର ସାଉଥ୍ ବଲଣ୍ଡା ମୁଖ୍ୟ ରାସ୍ତାରେ ମାଟି ଧସିବା ଘଟଣାକୁ ନେଇ ତାଳଚେର ଭୂଗର୍ଭ କୋଇଲା ଖଣିର ସୁରକ୍ଷା ଅଧିକାରୀ ଚିତ୍ତରଂଜନ ନାଏକଙ୍କୁ ପଚାରିବାରୁ, ଭୂଗର୍ଭଖଣି ପାଇଁ ମାଟି ଧସିଛି କି ନାହିଁ ଜଣାପଡ଼ିନାହିଁ। ତଦନ୍ତ ପରେ କାହିଁକି ମାଟି ଦବିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି।
ତାଳଚେର ହାଣ୍ଡିଧୂଆଁ ରେ ପୁଣି ଧସିଲା ମାଟି ।

