ରାଜଗାଙ୍ଗପୁର, ୨୨/୧୦: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଲାଇଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମନ୍ଦିରା ଡ୍ୟାମକୁ ସଂଯୋଗ କରୁଥିବା ମାତ୍ର ୬ କିଲୋମିଟର ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ରାସ୍ତା ଉପରେ ନିର୍ଭରଶୀଳ ଗ୍ରାମବାସୀ, ଛାତ୍ରଛାତ୍ରୀ, ରୋଗୀ ଓ ପର୍ଯ୍ୟଟକମାନେ ଯାତାୟାତରେ ନାନା ଅସୁବିଧା ଭୋଗୁଛନ୍ତି। ବିଶେଷକରି ବର୍ଷାଦିନେ ରାସ୍ତାର ଅବସ୍ଥା ଅଧିକ ଶୋଚନୀୟ ହୋଇପଡ଼ୁଛି।
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP) ପ୍ରଶାସନ ଏହି ରାସ୍ତାର ମରାମତି ଓ ଉନ୍ନତିକରଣ ପାଇଁ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବଡ଼ଧରଣର ଜନଆନ୍ଦୋଳନ କରାଯିବ ବୋଲି ଲାଇଙ୍ଗ ସରପଞ୍ଚ ରୋଶନୀ ତିର୍କୀ, ସମାଜସେବୀ ରଶ୍ମି ଏକ୍କା, ପୂର୍ବତନ ସରପଞ୍ଚ ତଥା ରାଜ୍ୟ ଏସ୍ଟି ମୋର୍ଚ୍ଚା ଉପସଭାପତି ନରସିଂହ ମିଞ୍ଜଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

