ଜବାନପାଲ୍ଲୀରେ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ନେଇ ସଚେତନତା ସଭା
ମାଲକାନଗିରି, ୨୨/୧୦: ମାଲକାନଗିରି ଜିଲ୍ଲା କାଳିମେଳା ଅଞ୍ଚଳର ଜବାନପାଲ୍ଲୀ ଗ୍ରାମରେ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର, ଜମି ଓ ଜଙ୍ଗଲର ସୁରକ୍ଷା ତଥା ଗ୍ରାମସଭାର କ୍ଷମତା ସମ୍ପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି। ଏଥିରେ ଶତାଧିକ ଗ୍ରାମବାସୀ ଓ ଆଦିବାସୀ ସମାଜର ନେତୃବୃନ୍ଦ ଯୋଗଦେଇ ନିଜ ଅଧିକାରର ସୁରକ୍ଷା ପାଇଁ ଏକଜୁଟ ହୋଇଥିଲେ।ସଭାରେ ଭାରତୀୟ ସମ୍ବିଧାନର ପଞ୍ଚମ ଅନୁସୂଚୀ ଓ ପଞ୍ଚାୟତ ଉପବନ୍ଧ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ, ୧୯୯୬ (ପେସା) ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଦିବାସୀଙ୍କ ଜମି, ଜଙ୍ଗଲ ଓ ପାରମ୍ପରିକ ଅଧିକାରର ସୁରକ୍ଷାରେ ଏହି ଆଇନଗୁଡ଼ିକର ଗୁରୁତ୍ୱ ବିଷୟରେ ଗ୍ରାମବାସୀଙ୍କୁ ବୁଝାଯାଇଥିଲା।ପଞ୍ଚମ ଅନୁସୂଚୀଭୁକ୍ତ ଅଞ୍ଚଳରେ ଆଦିବାସୀଙ୍କ ଜମି ହସ୍ତାନ୍ତର ସମ୍ପର୍କିତ ଆଇନଗତ ସୁରକ୍ଷା, ବେଆଇନ ଋଣ କାରବାର ଓ ମହାଜନୀ ଶୋଷଣ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷାରେ ଗ୍ରାମସଭାର ଭୂମିକା ଏବଂ ପେସା ଆଇନ ଅନୁଯାୟୀ ଗ୍ରାମସଭାର ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା।
‘ଏକତା ହିଁ ଆମର ଶକ୍ତି, ଗ୍ରାମସଭା ହିଁ ଆମର ଅଧିକାରର ଆଧାର’ ନାରା ଦେଇ ଗ୍ରାମବାସୀମାନେ ନିଜର ସାମ୍ବିଧାନିକ ଅଧିକାର ଓ ପାରମ୍ପରିକ ସମ୍ପଦର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ।
ଆଦିବାସୀଙ୍କ ଅଧିକାର ସମ୍ପର୍କରେ ଏଭଳି ସଚେତନତା ସଭା ଗ୍ରାମାଞ୍ଚଳରେ ଆଇନଗତ ସଚେତନତା ବୃଦ୍ଧି କରିବା ସହ ନିଜ ହକ୍ର ସୁରକ୍ଷା ପାଇଁ ଲୋକଙ୍କୁ ଏକଜୁଟ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

