ଆଲୁମିନିୟମ୍ ପାର୍କ ଓ ଗୃହ ପ୍ରକଳ୍ପ ବୁଲି ଦେଖିଲେ ଇଡ୍କୋ ଅଧ୍ୟକ୍ଷା ଉଷା ପାଢ଼ୀ
ଅନୁଗୋଳ ୩୦/୧୦: ଅନୁଗୋଳ ସହରର ଜଳବନ୍ଦି ସମସ୍ୟାର ସ୍ଥାୟୀ ସମାଧାନ ସହ ବିଭିନ୍ନ ବିକାଶମୂଳକ କାମ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ୍କୋ ଅଧ୍ୟକ୍ଷା ଉଷା ପାଢ଼ୀ। ଶୁକ୍ରବାର ଅନୁଗୋଳ ଗସ୍ତରେ ଆସି ସେ ବିଭିନ୍ନ ପ୍ରକଳ୍ପର କାମ ବୁଲି ଦେଖିବା ସହ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ।ପ୍ରଥମେ ସେ ନାଲ୍କୋ ନିକଟସ୍ଥ ଆଲୁମିନିୟମ୍ ପାର୍କ ପରିଦର୍ଶନ କରିଥିଲେ। ସେଠାରେ ବିଦ୍ୟୁତ୍, ଜଳ ଯୋଗାଣ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସମ୍ପର୍କରେ ନାଲ୍କୋ ଓ ଇଡ୍କୋ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ଏହାପରେ ଅନୁଗୋଳ ପୌରପାଳିକାର ମଳ ଉପଚାର କେନ୍ଦ୍ର ଓ ପଞ୍ଚମହଲାରେ ଚାଲିଥିବା ପୁରୁଣା ଆବର୍ଜନା ସଫା କରିବା ପ୍ରକଳ୍ପ ପରିଦର୍ଶନ କରିଥିଲେ। ସେଠାରେ ପରିମଳ ବ୍ୟବସ୍ଥା ଓ ଆବର୍ଜନା ପରିଚାଳନାର ଅଗ୍ରଗତି ବିଷୟରେ ବୁଝିଥିଲେ।ସେହିପରି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ପକ୍ଷରୁ ନିର୍ମାଣାଧୀନ ଗୃହ ପ୍ରକଳ୍ପ ମଧ୍ୟ ବୁଲି ଦେଖିଥିଲେ। ନିର୍ମାଣ କାମ, ଜଳ ନିଷ୍କାସନ ଓ ଅନ୍ୟାନ୍ୟ ସୁବିଧାର ସ୍ଥିତି ସମୀକ୍ଷା କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଶୀଘ୍ର ଫ୍ଲାଟ୍ ହସ୍ତାନ୍ତର କରିବା ପାଇଁ ବାକି କାମ ଶେଷ କରିବାକୁ ଅଧିକାରୀଙ୍କୁ କହିଥିଲେ।ପରେ ସେ ବଣିଆବାହାଳ ଓ ଲିଙ୍ଗରାଯୋଡ଼ିର ଜଳବନ୍ଦି ଅଞ୍ଚଳ ପରିଦର୍ଶନ କରିଥିଲେ। ବର୍ଷା ଦିନେ ଏହି ଅଞ୍ଚଳରେ ଜମୁଥିବା ପାଣି କିପରି ଶୀଘ୍ର ନିଷ୍କାସନ ହୋଇପାରିବ, ସେଥିପାଇଁ ଉପଯୁକ୍ତ ଡ୍ରେନ୍ ବ୍ୟବସ୍ଥା କରିବାକୁ ସେ ଜିଲ୍ଲା ଓ ପୌରପାଳିକା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।ବିଭିନ୍ନ ପ୍ରକଳ୍ପର କାମ ଠିକ୍ ସମୟରେ ଶେଷ କରିବା ସହ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରଖିବାକୁ ସେ ଗୁରୁତ୍ୱ ଦେଇଥିଲେ। ବିକାଶମୂଳକ କାମର ସୁଫଳ ଯେପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ, ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ।ଏହି ଗସ୍ତ ସମୟରେ ଜିଲ୍ଲାପାଳ ଅବଦାଲ୍ ଏମ୍. ଅଖତରଙ୍କ ସମେତ ନାଲ୍କୋ, ଇଡ୍କୋ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

