ବଅଁରପାଳ, ୩୧/୧୦: ଯେଉଁ ବୟସରେ ହାତରେ ବହି ଧରି ଭବିଷ୍ୟତର ସ୍ୱପ୍ନ ଦେଖିବା କଥା, ସେହି ବୟସରେ ସବୁଦିନ ପାଇଁ ନିରବ ହୋଇଗଲେ ଶ୍ରଦ୍ଧାଞ୍ଜଳି। ମାତ୍ର ୧୪ ବର୍ଷ ବୟସରେ ଜୀବନ ଯାତ୍ରାରେ ଅଚାନକ ପୂର୍ଣ୍ଣଚ୍ଛେଦ ପଡ଼ିବା ଘଟଣା ବଅଁରପାଳ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ତାଙ୍କ ଅକାଳ ବିୟୋଗରେ ପରିବାର, ସହପାଠୀ, ଶିକ୍ଷକ ଓ ଗ୍ରାମବାସୀଙ୍କ ଆଖିରୁ ଲୁହ ଶୁଖୁନାହିଁ।ବଅଁରପାଳସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନବମ ଶ୍ରେଣୀର ଛାତ୍ରୀ ଶ୍ରଦ୍ଧାଞ୍ଜଳି ପାତ୍ରଙ୍କ ଗୁରୁବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ବୃନ୍ଦାବନପୁର ଗ୍ରାମରେ ରହୁଥିବା କୁଲେଇ ଗ୍ରାମର କେଦାରନାଥ ପାତ୍ରଙ୍କ ସେ ଥିଲେ ଝିଅ। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶରେ ରକ୍ତ ପରୀକ୍ଷା ଓ ଇଞ୍ଜେକ୍ସନ ନେବା ପରେ ଘରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଗୁରୁତର ହୋଇପଡ଼ିଥିଲା। ପରିବାରବର୍ଗ ତୁରନ୍ତ ତାଙ୍କୁ ବଅଁରପାଳ ସରକାରୀ ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଶ୍ରଦ୍ଧାଞ୍ଜଳି କେବଳ ଜଣେ ମେଧାବୀ ଛାତ୍ରୀ ନଥିଲେ, ସେ ଥିଲେ ସମସ୍ତଙ୍କର ପ୍ରିୟ। ମିଷ୍ଟଭାଷୀ, ମେଳାପୀ ଓ ହସଖୁସିରେ ରହୁଥିବା ଶ୍ରଦ୍ଧାଞ୍ଜଳି ପାଠପଢ଼ା ସହ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଆଗ୍ରହର ସହ ଭାଗ ନେଉଥିଲେ। ଯେଉଁ ବିଦ୍ୟାଳୟ ପରିସର ଦିନେ ତାଙ୍କ ହସ ଓ କୋଳାହଳରେ ମୁଖରିତ ହେଉଥିଲା, ଆଜି ସେଠାରେ ତାଙ୍କ ସ୍ମୃତିକୁ ନେଇ ନିରବତା ଓ ଶୋକର ବାତାବରଣ।
ତାଙ୍କ ବିୟୋଗ ଖବର ପାଇ ବିଦ୍ୟାଳୟର ଗୁରୁଜୀ, ଗୁରୁମା ଓ ଅଭିଭାବକମାନେ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ବିଦ୍ୟାଳୟ ପରିସରରେ ଶୋକସଭା ଆୟୋଜନ କରାଯାଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରାଯାଇଥିଲା। ଏଥିସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଯାଇଥିଲା।
ଅତି କମ୍ ବୟସରେ ଜଣେ ହସଖୁସିରେ ଭରା ଜୀବନର ଏଭଳି ଅନ୍ତ ସମସ୍ତଙ୍କୁ ମର୍ମାହତ କରିଛି। ଶ୍ରଦ୍ଧାଞ୍ଜଳି ଆଉ କେବେ ବିଦ୍ୟାଳୟକୁ ଫେରିବେ ନାହିଁ, ସହପାଠୀଙ୍କ ସହ ହସିବେ ନାହିଁ କି ଶ୍ରେଣୀଗୃହରେ ତାଙ୍କ ଉପସ୍ଥିତି ରହିବ ନାହିଁ। କିନ୍ତୁ ତାଙ୍କ ସ୍ମୃତି ସମସ୍ତଙ୍କ ହୃଦୟରେ ସବୁଦିନ ପାଇଁ ଅଭୁଲା ହୋଇ ରହିବ।

