ବର୍ଷାରେ ବେହାଲ ୧୪୯ ନଂ ଜାତୀୟ ରାଜପଥ, ଯାତାୟାତ ଯନ୍ତ୍ରଣାରେ ଲୋକେ ।

ବର୍ଷାରେ ବେହାଲ ୧୪୯ ନଂ ଜାତୀୟ ରାଜପଥ, ଯାତାୟାତ ଯନ୍ତ୍ରଣାରେ ଲୋକେ

ନିର୍ମାଣ ଓ ରକ୍ଷଣାବେକ୍ଷଣରେ ଅବହେଳା ଅଭିଯୋଗ, ପ୍ରଶାସନିକ ତଦାରଖକୁ ନେଇ ଉଠିଲା ପ୍ରଶ୍ନ ।

ବଅଁରପାଳ, ୩୧/୧୦: ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ୧୪୯ ନମ୍ବର ଜାତୀୟ ରାଜପଥ। ରାସ୍ତାରେ ବଡ଼ ବଡ଼ ଖାଲଖମା ସାଙ୍ଗକୁ ଜମି ରହୁଛି ବର୍ଷାଜଳ। ଫଳରେ ଭାରୀଯାନ ଚଳାଚଳ ବାଧାପ୍ରାପ୍ତ ହେବା ସହ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ଲାଗି ରହୁଛି। ଏହାର ସିଧାସଳଖ ପ୍ରଭାବ ସାଧାରଣ ଯାତ୍ରୀ, ବ୍ୟବସାୟୀ ଓ ଦୈନନ୍ଦିନ କାର୍ଯ୍ୟରେ ବଅଁରପାଳ ଆସୁଥିବା ଲୋକଙ୍କ ଉପରେ ପଡ଼ୁଛି।ବିଶେଷକରି ୧୪୯ ନମ୍ବର ଜାତୀୟ ରାଜପଥରୁ ୫୫ ନମ୍ବର ଜାତୀୟ ରାଜପଥର ନୂଆହତା ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଯାନବାହନ ଅଟକି ରହୁଛି। ରାସ୍ତାର ଖାଲରେ ପାଣି ଜମି ରହୁଥିବାରୁ ଚାଳକମାନେ ଗଭୀରତା ଆକଳନ କରିପାରୁନାହାନ୍ତି। ଫଳରେ ଭାରୀଯାନଗୁଡ଼ିକ ଖାଲରେ ପଡ଼ି ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେଉଛି। ଗାଡ଼ି ଅଟକି ରହିବାରୁ ପଛକୁ ପଛ ଲମ୍ବା ଧାଡ଼ି ସୃଷ୍ଟି ହେଉଛି।ଅନ୍ୟପକ୍ଷରେ, ରାସ୍ତା ପାର୍ଶ୍ୱରେ ଥିବା ପାଦଚଲା ରାସ୍ତା କାଦୁଅ ଓ ପାଣିରେ ଭରି ରହୁଛି। ଫଳରେ ପଥଚାରୀଙ୍କ ପାଇଁ ସୁରକ୍ଷିତ ଯାତାୟାତ ମଧ୍ୟ କଷ୍ଟକର ହୋଇପଡ଼ିଛି। ଭାରୀଯାନ ଚଳାଚଳ ମଧ୍ୟରେ ପଥଚାରୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି।
ସୂଚନା ଅନୁଯାୟୀ, ବଅଁରପାଳ ଅଞ୍ଚଳ ଦେଇ ଯାଇଥିବା ଏହି ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଏଆଇପିଏଲ୍ ନାମକ ଠିକା ସଂସ୍ଥା ଦ୍ୱାରା କରାଯାଉଛି। ତେବେ ନିର୍ମାଣ ସହ ରକ୍ଷଣାବେକ୍ଷଣରେ ଅବହେଳା ହେଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଏଠାରେ ପ୍ରଶ୍ନ ଉଠୁଛି, ରାଜପଥରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ସତ୍ତ୍ୱେ ଯାତାୟାତକୁ ସୁରକ୍ଷିତ ରଖିବା ଓ ଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କାହିଁକି କରାଯାଇନାହିଁ? ଠିକା ସଂସ୍ଥାର କାର୍ଯ୍ୟ ଉପରେ ସମ୍ପୃକ୍ତ ବିଭାଗର ନିୟମିତ ତଦାରଖ ହେଉଛି କି ନାହିଁ, ତାହା ମଧ୍ୟ ଏବେ ଆଲୋଚନାର ବିଷୟ ପାଲଟିଛି।ଅଞ୍ଚଳବାସୀଙ୍କ ପକ୍ଷରୁ ରାସ୍ତାର ଖାଲଖମା ତୁରନ୍ତ ମରାମତି, ଜଳ ନିଷ୍କାସନ ବ୍ୟବସ୍ଥା, ଯାତାୟାତ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସୁରକ୍ଷିତ ଅସ୍ଥାୟୀ ରାସ୍ତା ନିର୍ମାଣ ଏବଂ ଠିକା କାର୍ଯ୍ୟର ନିୟମିତ ତଦାରଖ ପାଇଁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!